ନିର୍ବାଚନ ଖବର
  • ବୁଥରେ ଇଭିଏମ୍ ଭାଙ୍ଗିବା ମାମଲା: ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ
  • ||
  • ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡାକରା, CWC ବୈଠକ ହେବେ ସାମିଲ୍
  • ||
  • ବାଲେଶ୍ଵର; ଲଗାତାର ଦୁଇ ଦିନ ହେବ ବାଲେଶ୍ଵର ଜିଲ୍ଲାରେ ଶୁଭୁଛି ପ୍ରଚଣ୍ଡ ଶବ୍ଦ, ଲୋକ ଭୟଭିତ
  • ||
  • ବିସିସିଆଇ ଘରୋଇ କ୍ରୀଡ଼ାସୂଚୀ ଘୋଷଣା: ଏଥର ଦୁଇଟି ପର୍ଯ୍ୟାୟରେ ଖେଳାଯିବ ରଣଜୀ ଟ୍ରଫି
  • ||
  • ପୁରୀ ବାଣ ଦୁର୍ଘଟଣାଗ୍ରସ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ: ଆସିଲେନି ସମ୍ପର୍କୀୟ, ଆଜି ହେବ ସଂସ୍କାର
  • ||
  • ଶୁକ୍ରବାର ନାସାଉରେ ମୁହାଁମୁହିଁ ହେବେ କାନାଡ଼ା- ଆୟର୍ଲାଣ୍ଡ, ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ଶୁକ୍ରବାର ବସିବ ଏନ୍‌ଡିଏର ସଂସଦୀୟ ଦଳ ବୈଠକ, ନୂଆ କ୍ୟାବିନେଟରେ ପୁରୁଣାଙ୍କୁ ମିଳିପାରେ ସ୍ଥାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ବିପର୍ଯ୍ୟୟ ଘଟାଇଲା ୟୁଏସଏ, ସୁପର ଓଭରରେ ପାକିସ୍ତାନକୁ ହରାଇଲା
  • ||
  • ରାଜ୍ୟରେ ଏବେ ଭୀଷଣ ତାତି, ୧୦ ସୁଦ୍ଧା ଛୁଇଁପାରେ ମୌସୁମୀ: ଦକ୍ଷିଣରେ କାଳବୈଶାଖୀ ସମ୍ଭାବନା
  • ||

ବାଇଡେନ୍‌ଙ୍କ ବୟାନ ପରେ ବନ୍ଧୁତାରେ ଫାଟ,ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଦେବନି କହିଲା ଆମେରିକା

ୱାଶିଂଟନ୍‌/ଜେରୁଜେଲମ,୧୩/୦୫: ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ସମ୍ପର୍କ ଭାବେ ଜଣା ଆମେରିକା-ଇସ୍ରାଏଲ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବୟାନ ପରେ ଦୁଇ ଦେଶର ସମ୍ପର୍କରେ ଖଟାପଣ ଆସିଛି । ନିକଟରେ ଏକ ସାକ୍ଷାତକାରରେ ବାଇଡେନ୍‌ଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଇସ୍ରାଏଲ ଯଦି ରାଫାରେ ଆକ୍ରମଣ କରେ ତେବେ କ’ଣ ହେବ । ଉତ୍ତରରେ ବାଇଡେନ୍‌  କହିଥିଲେ, ସେ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ କରିବେ ନାହିଁ । ଯୁଦ୍ଧାସ୍ତ୍ର  ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ଆଧାର । କିନ୍ତୁ  ୪ ଦଶନ୍ଧି ପରେ ଏହା ପ୍ରଥମ ଥର ହୋଇଛି ଯେ ଆମେରିକା ଇସ୍ରାଏଲକୁ ଅସ୍ତ୍ରଯୋଗାଣ ବନ୍ଦ କରିବା ଉପରେ ସିଧାସଳଖ ଚେତାବନୀ ଦେଇଛି,  ଯାହା କି ଦୁଇ ଦେଶ ମଧ୍ୟରେ ଫାଟ ସୃଷ୍ଟିର ପ୍ରମୁଖ କାରଣ ପାଲଟିଛି ।  ଗାଜାରେ ହମାସ୍‌ର ମୂଳୋତ୍ପାଟନ କରିବାକୁ ଯାଇ ଇସ୍ରାଏଲର କଠୋର  କାର୍ଯ୍ୟାନୁଷ୍ଠାନ ଯୋଗୁ ହମାସ୍‌ ଆତଙ୍କୀଙ୍କ ସମେତ ଲକ୍ଷ ଲକ୍ଷ ଲୋକଙ୍କ  ଦୁର୍ବିସହ ହୋଇଛି । ସାଧାରଣ ଜନତା ଅକାରଣେ ପ୍ରାଣ ହରାଉଛନ୍ତି ଏବଂ ଗାଜାରେ ମାନବୀୟ ସଙ୍କଟ ଗମ୍ଭୀର ହୋଇଛି ।

ଏବେ ରାଫାରେ ଲକ୍ଷାଧିକ  ଗାଜାବାସୀ ଶରଣ ନେଇଥିବାବେଳେ ସେଠାରେ ହମାସ୍‌ ଆତଙ୍କୀ ଲୁଚି  ରହିଥିବା କହି ଇସ୍ରାଏଲ ଆକ୍ରମଣ କରିବାକୁ ଯାଉଛି । କିନ୍ତୁ ଏଥିଯୋଗୁ  ସୃଷ୍ଟି ହେବାକୁ ଥିବା ମାନବୀୟ ସଙ୍କଟ ଗାଜାସ୍ଥିତିକୁ ଆହୁରି ଜଟିଳ କରିବ ।  ଏହାକୁ ରୋକିବାକୁ ଏବଂ ଗାଜାବାସୀଙ୍କ ଜୀବନ ରକ୍ଷା କରିବାକୁ ବାଇଡେନ  ସରକାରଙ୍କ ଉପରେ ନିଜ ଦେଶ ସମେତ ବାହାରୁ ମଧ୍ୟ ଚାପ ପଡ଼ୁଛି ।  ତେଣୁ ବାଇଡେନ୍‌ ଆଉ ଧୈର୍ଯ୍ୟ ନ ଧରି ମଧ୍ୟପ୍ରାଚ୍ୟରେ ସବୁଠୁ  ନିକଟତମ ରଣନୀତିକ ସହଯୋଗୀ ଇସ୍ରାଏଲକୁ ପଠାଇବାକୁ  ଥିବା ହଜାର ହଜାର କିଲୋର ବୋମା ଯୋଗାଣକୁ ରୋକିଛନ୍ତି ।  ୧୯୮୦ ଦଶକରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରୋନାଲ୍ଡ  ରେଗାନଙ୍କ ଶାସନ କାଳନରେ ଏପରି ହୋଇଥିଲା । ଏବେ ରାଫାରେ ଇସ୍ରାଏଲ ସେନା ପଶିବା ଆରମ୍ଭ  କରିବା ସହ ଆଖପାଖରେ ବହୁ ସଂଖ୍ୟାରେ  ଇସ୍ରାଏଲ ଟ୍ୟାଙ୍କ ମୁତୟନ ହୋଇଛି । ରାଫାରେ  ଆକ୍ରମଣ କରିବା ପୂର୍ବରୁ ସେଠାରୁ  ୧ ଲକ୍ଷ ଲୋକଙ୍କୁ ସେମାନଙ୍କ  ଆଶ୍ରୟସ୍ଥଳୀ ଛାଡ଼ିବାକୁ  ଇସ୍ରାଏଲ ଆଦେଶ ଦେଇଛି ।  

ଜାତିସଂଘ କହିବା ଅନୁସାରେ,  ନିଜ ଘର ଦ୍ୱାର ଛାଡ଼ି ରାଫାରେ ଆଶ୍ରୟ ନେଇଥିବା ଲକ୍ଷାଧିକ ଲୋକଙ୍କୁ  ଏବେ ପୁଣି ଅନ୍ୟ ଠିକଣାକୁ ଯିବାକୁ ପଡ଼ୁଛି । ସେମାନେ ଆଶ୍ରୟସ୍ଥଳ,  ଖାଦ୍ୟ, ପାନୀୟ, ଚିକିତ୍ସା ଭଳି ଅତି ଜରୁରି ସୁବିଧା ଅଭାବାର ସମ୍ମୁଖୀନ  ହେଉଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ପୁଣି କହିଛନ୍ତି  ଯେ, ଇସ୍ରାଏଲ ସେନା ପୂର୍ଣ୍ଣ କ୍ଷମତାରେ ସ୍ଥଳଭାଗରେ ଆକ୍ରମଣ କରିବ । ଏଠାରେ ପ୍ରାୟ ୧୦ ଲକ୍ଷ ପାଲେଷ୍ଟିନୀୟ ଶରଣ ନେଇଛନ୍ତି । ଅନ୍ୟପକ୍ଷରେ ଇସ୍ରାଏଲକୁ ବୋମାଯୋଗାଣ ବନ୍ଦ କରିବା ନେଇ  ବାଇଡେନଙ୍କ ନିଷ୍ପତ୍ତିର ରାଜନୈତିକ ପ୍ରଭାବ ଦେଖିବାକୁ ମିଳିଛି ।  ଆମେରିକାର ରିପବ୍ଲିକାନ୍‌ ପାର୍ଟିର ସାଂସଦମାନେ ଏହାକୁ ବିରୋଧ  କରିଛନ୍ତି । ରିପବ୍ଲିକାନ୍‌ ସିନେଟର ପିଟ୍‌ ରିକେଟ୍ସ କହିଛନ୍ତି, ବାଇଡେନ୍‌ଙ୍କ  ଏହି ପଦକ୍ଷେପ ଚକିତ କଲାଭଳି । ହମାସ ଏକ ଆତଙ୍କବାଦୀ ସଙ୍ଗଠନ । ତେଣୁ ଏହି ମାମଲରେ ଇସ୍ରାଏକୁ ଆମେରିକା ସହଯୋଗ କରିବା କଥା ।  ବାଇଡେନ୍‌ଙ୍କ ଏହି ନିଷ୍ପତ୍ତି ତାଙ୍କ ଦୁର୍ବଳତାକୁ ବାହାରେ ପକାଇଛି । ତେବେ ବାଇଡେନ୍‌ଙ୍କ ଦଳରେ ଏହାକୁ ସ୍ୱାଗତ କରାଯାଇଛି ।  

କାହିଁକି ବଦଳିଲେ ବାଇଡେନ୍‌? 

କେତେକ କୂଟନୀତିଜ୍ଞଙ୍କ ମତରେ, ଗାଜାରେ ଇସ୍ରାଏଲ-ହମାସ୍‌ ମଧ୍ୟରେ ଯୁଦ୍ଧ  ଆରମ୍ଭ ହେବା ଦିନରୁ ହିଁ ବାଇଡେନ ପୃଥକ ବିଚାରଧାରା ମଧ୍ୟରେ ଫସିଛନ୍ତି ।  ରିପବ୍ଲିକାନ୍‌ ପାର୍ଟି ଖୋଲାଖୋଲି ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ  ଶାସକ ଡେମୋକ୍ରାଟିକ ପାର୍ଟି କିନ୍ତୁ ଏ ପ୍ରସଙ୍ଗରେ ଭିନ୍ନ ମତ ପ୍ରକାଶ ପାଉଛି ।  ଅଦ୍ୟାବଧି ଇସ୍ରାଏଲ ଏବଂ ଆମେରିକା ସମ୍ପର୍କକୁ କ୍ଷତି ନ ପହଞ୍ଚାଇବାକୁ ଯାଇ  ବାଇଡେନ୍‌ ସଂଯମତା ରଖିଥିଲେ । କିନ୍ତୁ ଇସ୍ରାଏଲ ରାଫାରେ ପଶି ଆକ୍ରମଣ  କରିବାକୁ ଘୋଷଣା କରିବା ପରେ ବାଇଡେନ୍‌ଙ୍କ ବିଚାର ବଦଳିଯାଇଛି । ରାଫାରେ ଇସ୍ରାଏଲ ଆକ୍ରମଣ କଲେ ଯୁଦ୍ଧ ରୋକିବା ଏବଂ ହମାସ୍‌ କବଳରେ  ବନ୍ଦୀ ଥିବା ଇସ୍ରାଏଲ ନାଗରିକ ଓ ଇସ୍ରାଏଲ ଜେଲରେ ଥିବା ପାଲେଷ୍ଟନୀୟଙ୍କୁ  ମୁକୁଳାଇବା ସମ୍ଭାବନା କ୍ଷୀଣ ହୋଇଯିବ । 

ରଣନୀତିକାରଙ୍କ ବିବେଚନା  ଅନୁଯାୟୀ, ଇସ୍ରାଏଲର ପଡ଼ୋଶୀ ଦେଶ ଇଜିପ୍ଟ ସହ ଆମେରିକାର କୌଣସି  ପ୍ରକାର ବିବାଦ ଆରମ୍ଭ ନ ହେଉ ବୋଲି ବାଇଡେନ୍‌ ଚାହୁଁଛନ୍ତି ।  ସେହିପରି ରାଫାରେ ଆକ୍ରମଣ ହେଲେ ବାଇଡେନ୍‌ଙ୍କ ପାର୍ଟିରେ  ବି ବିଭାଜନର ଆଶଙ୍କା ରହିଛି । ଆଗକୁ ଆମେରିକାରେ  ରାଷ୍ଟ୍ରପତି ନିର୍ବାଚନ ଥିବାରୁ ବାଇଡେନ ଏହି ରିସ୍କ ନେବାକୁ  ଚାହୁଁନାହାନ୍ତି । ଆମେରିକା ପ୍ରତିବର୍ଷ ଇସ୍ରାଏଲକୁ ୩.୮ ବିଲିୟନ ଡଲାରର ସାମରିକ ସହାୟତା ଦେଇଥାଏ ।  ନିକଟରେ ଆମେରିକା କଂଗ୍ରେସ ୧୭ ଅରବ ଡଲାରର  ଅତିରିକ୍ତ ସହାୟତା ମଧ୍ୟ ମଞ୍ଜୁର କରିଛି  ଯେଉଁଥିରେ ଯୁଦ୍ଧାସ୍ତ୍ର ସହ ଡିଫେନ୍ସ  ସିଷ୍ଟମ ବି ରହିଛି । ଦେଖିବାକୁ ଗଲେ  ଆମେରିକା ଇସ୍ରାଏଲକୁ  ସର୍ବାଧିକ ସାମରିକ  ସହାୟତା ଦେଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.